ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
-ରାଜ୍ୟ ସରକାର ଓ ଟାଟା ପାୱାରର ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ନିରୀହ ଉପଭୋକ୍ତା
-ସିଏଜି ଅଡିଟ ସମ୍ପର୍କରେ ରାଜ୍ୟ ସରକାର ଚୁପ୍ କାହିଁକି
-ଅଧିକ ମୂଲ୍ୟରେ ସ୍ମାର୍ଟ ମିଟର କିଣାଯିବାର ରହସ୍ୟ କ’ଣ
ଭୁବନେଶ୍ୱର,୧୧/୮-ଟାଟା ପାୱାର ଓଡିଶାକୁ ଆସିବା ଆଗରୁ ପୂର୍ବ ବିଜେଡି ସରକାର ଶକ୍ତି ବିତରଣ କ୍ଷେତ୍ରରେ ଅନେକ ଭିତ୍ତିଭୂମି ସଜାଡିଥିଲେ। ଓଇଆରସିର ନିର୍ଦେଶ(ଭେଷ୍ଟିଂ ଅର୍ଡର) ମୁତାବକ ଟାଟା ପାୱାର ଓଡ଼ିଶାରେ ବିଜୁଳି ଶକ୍ତି ଭିତ୍ତିଭୂମିର ବିକାଶ କରିବା ପାଇଁ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଥିଲା। ବର୍ତ୍ତମାନ ସୁଦ୍ଧା ଟାଟା ପାୱାର ଭିତ୍ତିଭୂମିର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ସେ ବାବଦରେ କୌଣସି ଅଡିଟ ହୋଇନାହିଁ। ଉପଭୋକ୍ତାଙ୍କ ଉପରେ ପୂର୍ବରୁ ଥିବା ସମସ୍ତ ବକେୟାକୁ ଟାଟା ପାୱାର ଜୁଲମ କରି ଆଦାୟ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ଓଡ଼ିଶାବାସୀଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପରିବର୍ତ୍ତେ ରାଜ୍ୟ ସରକାର ଓ ଟାଟା ପାୱାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିରୀହ ଉପଭୋକ୍ତା ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଶ୍ରୀ ସାହୁ କହିଛନ୍ତି, ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ଟାଟା ପାୱାରକୁ ଅନୁଦାନ ଦେଇଛନ୍ତି। ତନ୍ମଧ୍ୟରୁ ୩୦୭ କୋଟି କମ୍ପାନୀ ଦ୍ୱାରା ପୂର୍ବରୁ ସ୍ଥାପିତ ହୋଇଥିବା ମିଟର ପାଇଁ ଏବଂ ୪୨୮ କୋଟି ଟଙ୍କା ନୂତନ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ପୂର୍ବରୁ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଥିବା ସ୍ମାର୍ଟ ମିଟରର ଖର୍ଚ୍ଚ ସରକାର ବହନ କଲେ ମଧ୍ୟ ଆଦାୟ କରାଯାଇଥିବା ଭଡା (ମିଟର ରେଣ୍ଟ) ଉପଭୋକ୍ତାଙ୍କୁ ଫେରାଯାଉ ନାହିଁ କାହିଁକି? ୟୁପି, ଦିଲ୍ଲୀ ଓ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟମାନଙ୍କରେ ସ୍ମାର୍ଟ ମିଟରର ମୂଲ୍ୟ ୩ ହଜାର ଟଙ୍କାରୁ କମ ଥିଲା ବେଳେ ଓଡିଶାରେ ଏହା ୩,୯୯୩ ଟଙ୍କା ବୋଲି ବିତରଣ କମ୍ପାନୀ ଦର୍ଶାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ବିତରଣ କମ୍ପାନୀର ସିଏଜି ଅଡ଼ିଟ ପାଇଁ ପଦକ୍ଷେପ ନେବାକୁ ଓଇଆରସି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସନ୍ଦେହ ସୃଷ୍ଟି କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିତରଣ କମ୍ପାନୀ ମାନେ ନିଜସ୍ୱ ଅଡିଟ ନକରି ସିଏଜି ଅଡିଟ କରିବା ପାଇଁ ଗତ ମେ’ ମାସରେ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସିଏଜି ଅଡିଟ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ। ପ୍ରତ୍ୟେକ ବିତରଣ କମ୍ପାନୀର ରାଜସ୍ୱ ଆଦାୟ, ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ ତଥା ଲାଭ କ୍ଷତି ବାବଦରେ ବାର୍ଷିକ ରିପୋର୍ଟ ସାର୍ବଜନୀନ କରାଯାଉ। ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉ।
କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ବାହାନାରେ ଟାଟା ପାୱାର ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ନିକଟରେ ଦାବି କରିଆସୁଛି। ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବାହାର ରାଜ୍ୟରୁ ଅଣଓଡିଆଙ୍କୁ ଆଣି ମୋଟା ଦରମାରେ ନିଯୁକ୍ତି ଦେଉଛି। ରାଜ୍ୟ ବାହାରର ଏଜେନ୍ସି ଜରିଆରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସ୍ଥାନୀୟ ଯୁବକମାନଙ୍କୁ ଛଟେଇ କରାଯାଉଛି। ଏସଏଚଜିମାନଙ୍କୁ ବାହାର କରି ଅଣଓଡିଆ ଏଜେନ୍ସି ଜରିଆରେ, ମିଟର ରିଡିଙ୍ଗ, ବିଲିଂ, ବିଲ ଆଦାୟ କରି ଏଥିରୁ ମଧ୍ୟ ଲାଭ ଗୋଟାଉଛି ଟାଟା ପାୱାର। ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ମିଟର ଲଗାଇବାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାରଙ୍କ ଠାରୁ ନେଇସାରିଲା ପରେ ମଧ୍ୟ ଉପଭୋକ୍ତା ମାନଙ୍କ ଠାରୁ ଆଦାୟ ହୋଇଥିବା ମିଟର ରେଣ୍ଟ ବର୍ତ୍ତମାନ ସୁଦ୍ଧା ବିତରଣ କମ୍ପାନୀ ଫେରାଉ ନାହିଁ। ଉପଭୋକ୍ତାଙ୍କ ନିମନ୍ତେ ୧୯୯୨ ହେଲ୍ପଲାଇନ ଥିଲେ ମଧ୍ୟ କୌଣସି ସେବା ମିଳୁ ନାହିଁ। ନିର୍ବାଚିତ ପ୍ରତିନିଧିମାନଙ୍କ ଅଭିଯୋଗକୁ କୌଣସି ବିତରଣ କମ୍ପାନୀ ଗୁରୁତ୍ୱ ଦେଉନାହାନ୍ତି। ଏହିସବୁ ସମସ୍ୟା ପ୍ରତି ଆଖି ବୁଜିଦେଇ ରାଜ୍ୟ ବିଜେପି ସରକାର ଓ ଟାଟା ପାୱାର ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଯଦି ପୂର୍ଣ୍ଣଚ୍ଛେଦ ନ ପଡ଼େ ତେବେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେମାନେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ନୂତନ ମିଟର ସଂଯାଗରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରମାନେ ପର୍ଯ୍ୟାପ୍ତ ଅର୍ଥ ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହେବାରେ ଲାଗିଛି। ମିଟର ସଂଯୋଗ ପାଇଁ ସଂପୃକ୍ତ ଠିକାଦାରମାନେ ଦୁଇଗୁଣରୁ ଅଧିକ ଅର୍ଥ ନେଉଛନ୍ତି। ୭ କିଲୋୱାଟ ବିଦ୍ୟୁତ ପାଇଁ ନୂତନ ମିଟର ସଂଯୋଗ ବାବଦରେ ୧୦ହଜାର ୨୨୯ ଟଙ୍କା ଜମା କରିବାକୁ ପଡୁଥିବା ବେଳେ ଏହି ଠିକାଦାରମାନେ ୨୩ହଜାର ଟଙ୍କା ଦାବି କରୁଛନ୍ତି। ନୂତନ ମିଟର ସଂଯୋଗ ପାଇଁ ବିଭାଗର ଉଫରୁ ତ ପର୍ଯ୍ୟନ୍ତ ୮ ଜଣଙ୍କୁ ଲାଞ୍ଚ ଦେବାକୁ ପଡୁଥିବାରୁ ସଂପୃକ୍ତ ବିଦ୍ୟୁତ ଠିକାଦାର ୨୩ ହଜାର ଟଙ୍କା ଦାବି କରିବା ଏବଂ ନେବା ଭଳି ଘଟଣା ଘଟିଛି ବିସିଡିଡି-୨ ଡିଭିଜନର ପେରିଫେରି/ଚନ୍ଦ୍ରଶେଖରପୁର-୨ ସବ ଡିଭିଜନ ଓ ସେକ୍ସନ ଅଧୀନରେ। କେବଳ ଏହା ଗୋଟିଏ ଘଟଣା ନୁହେଁ ଏହିଭଳି ଅର୍ଥ ହରିଲୁଟର ଅନେକ ଘଟଣା ପଦାକୁ ଆସିବାରେ ଲାଗିଛି। ଟିପିସିଓଡିଏଲ ସିକ୍ୟୁରିଟି ଡିପୋଜିଟ, ପ୍ରୋସେସିଂ ଫି ଏବଂ ସର୍ଭିସ କନେକ୍ସନ ଚାର୍ଜ ବାବଦରେ ଅର୍ଥ ନେଉଥିବା ବେଳେ ଠିକାଦାରମାନେ ମିଟର ସଂଯୋଗ କରାଇଦେବା ନାମରେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି। ଟାଟା ପାୱାର ସମେତ ବିଭାଗର ଯନ୍ତ୍ରୀ, ବିଦ୍ୟୁତ ଠିକାଦାର ସ୍ମାର୍ଟ ମିଟରକୁ ନେଇ ହରିଲୁଟର ବାଟ ଖୋଲିଛନ୍ତି। ଏଭଳି ଘଟଣାର ତଦନ୍ତ କରାଯିବା ଉପରେ ଶୋଷଣର ଶିକାର ଗ୍ରାହକ ଦାବି କଲେଣି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନିଆ ନଗଲେ ସେମାନେ ଓଇଆରସି ଏବଂ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଲେଣି।

