ଜିଲ୍ଲା ଅଦାଲତରେ ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ନେଇ କର୍ମଶାଳା

ଭୁବନେଶ୍ୱର:୧୦/୮-ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଜିଲ୍ଲା ଅଦାଲତଗୁଡ଼ିକରେ ଥିବା ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ଏବଂ ସରକାରୀ ଅଧିବକ୍ତା, ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ରହିଛି। ନ୍ୟାୟ ବ୍ୟବସ୍ଥାକୁ ଆଗେଇ ନେବା କ୍ଷେତ୍ରରେ ସରକାରୀ ଅଧିବକ୍ତା ଓ ଅତିରିକ୍ତ ସରକାରୀ ଅଧିବକ୍ତା ଓ ସହଯୋଗୀ ଓକିଲମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣମାନେ ହେଉଛନ୍ତି ସାମ୍ବିଧାନିକ ବ୍ୟବସ୍ଥା ତଥା ନ୍ୟାୟପାଳିକାର ଗୋଟିଏ ଗୋଟିଏ ଅଂଶସ୍ୱରୂପ। ତେଣୁ ବିଭିନ୍ନ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅବଲୋକନ କରିବା ସହିତ ନ୍ୟାୟିକ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ବେଶ୍ ଜରୁରୀ। ସେହିପରି ଆଜିର ପରିସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତାର ସଠିକ୍ ବ୍ୟବହାର ଓ ସମୟାନୁବର୍ତ୍ତିତା ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ଶଶିକାନ୍ତ ମିଶ୍ର ଦେୱାନୀ ଓ ଫୌଜାଦାରୀ ମାମଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସରକାରୀ ଓକିଲଙ୍କ ଦାୟିତ୍ୱହ ଗୁରୁତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହିତ ନିଜ ନିଜ ଭିତରେ ଜ୍ଞାନର ଆଦାନପ୍ରଦାନ ଦ୍ୱାରା ଆଇନଜୀବୀମାନେ ବିଭିନ୍ନ ନ୍ୟାୟିକ ମାମଲାରେ ଆସୁଥିବା ସନ୍ଦେହର ସମାଧାନ ମାର୍ଗ ପାଇପାରିବେ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ନ୍ୟାୟାଳୟରେ ସରକାରୀ ଆଇନଜୀବୀଙ୍କ ଭୂମିକା ଓ କର୍ତ୍ତବ୍ୟ ସହ ସାମ୍ବିଧାନିକ ବ୍ୟବସ୍ଥାର ସଠିକ ଅନୁପାଳନ କରି ଦେୱାନି ମାମଲା ପରିଚାଳନା ଉପରେ ନିଜର ମତ ରଖିଥିଲେ।

