ସାଇବର ଠକେଇରେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
-୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ହଜାର ଜୋରିମାନା
କଟକ:୧୧/୮ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ ଆକାଉଣ୍ଟ ମାମଲାରେ ସମ୍ବଲପୁର ଜେଏମଏଫସି ଅଦାଲତ ଅଭିଯୁକ୍ତ ଗୌରୀ ଶଙ୍କର ଦାଶ (୩୨)ଙ୍କୁ ଭାରତୀୟ ନ୍ୟାୟ ସଂହିତାର ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଅଭିଯୁକ୍ତଙ୍କୁ ଦଫା ୩୧୭(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜରୀ ଟଙ୍କା ଜୋରିମାନା ଏବଂ ଦଫା ୧୧୨(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡାଦେଶ ଏକକାଳୀନ ଭାବେ ଚାଲିବ। ଜୋରିମାନା ଅନାଦେୟ ହେଲେ ପ୍ରତ୍ୟେକ ଜୋରିମାନା ବାବଦରେ ଅତିରିକ୍ତ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅପରେସନ ‘ସାଇବର କବଚ’ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଥିଲା। ଏହି ଅଭିଯାନରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବା ‘ମ୍ୟୁଲ ଆକାଉଣ୍ଟ’ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ ସମୟରେ ଅଭିଯୁକ୍ତଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି ନେସନାଲ କ୍ରାଇମ ରିପୋର୍ଟିଂ ପାର୍ଟାଲ ମାଧ୍ୟମରେ ଚିହ୍ନଟ ହୋଇଥିଲା। ତାଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ୯ହଜାର, ୧୧,୫୦୦, ୯ହଜାର ଏବଂ ୪,୦୫୦ ଅର୍ଥାତ୍ ମୋଟ ୩୩,୫୫୦ ଟଙ୍କା ଜମା ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ପୋଲିସ ତଦନ୍ତ ସମୟରେ ଉକ୍ତ ଅର୍ଥରାଶି ଗ୍ରହଣ କରିବା ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିବା ସମ୍ପର୍କରେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏ ସମ୍ପର୍କରେ ସମ୍ବଲପୁର ଟାଉନ ଥାନା କେସ ନଂ–୭୪, ତା. ୦୨.୦୩.୨୦୨୬ରେ ବିଏନଏସ ଦଫା ୩୧୮(୪)/୩୧୭(୨)/୧୧୨(୨)/୬୧(୨) ଏବଂ ଆଇଟି ଆକ୍ଟ ଦଫା ୬୬(ସି)/୬୬(ଡି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହୋଇଥିବା ଦିନ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏପ୍ରିଲ୨୮ତାରିଖ୨୦୨୬ରେ ପ୍ରାଥମିକ ଚାର୍ଜସି୍ ଦାଖଲ କରାଯାଇଥିଲା।
ଅଦାଲତରେ ମାମଲାର ଶୁଣାଣି ସମୟରେ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିସହ ବ୍ୟାଙ୍କ ରେକର୍ଡ, ଜବତ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଦାଖଲ କରାଯାଇଥିଲା। ଉପଲବ୍ଧ ସାକ୍ଷ୍ୟ ଓ ଦସ୍ତାବିଜ ପ୍ରମାଣକୁ ବିଚାର କରି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଏବଂ ମ୍ୟୁଲ ଆକାଉଣ୍ଟ ଯୋଗାଇ ଦେଉଥିବା କିମ୍ବା ବ୍ୟବହାର କରୁଥିବା ସହଯୋଗୀମାନଙ୍କ ବିରୋଧରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନୂତନ ଭାରତୀୟ ଆଇନ ଲାଗୁ ହେବା ପରେ ଅପରାଧ ତଦନ୍ତ ଓ ଆଇନଗତ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରାଯାଇ ଅଳ୍ପ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଉଥିବା ଜଣା ଯାଇଛି।

