ଘରେ ଘରେ ତ୍ରିରଙ୍ଗା
ଭୁବନେଶ୍ୱର:୧୦/୮-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ହୋଇଛି “ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ କରାଯାଉଛି। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତସ୍ତର ଯାଏଁ “ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଛି।କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଇଛି।

ଅଗଷ୍ଟ ୯ରେ ରାଜ୍ୟସ୍ତରୀୟ “ତ୍ରିରଙ୍ଗା ରାଲି’ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବ ବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ, ଛାତ୍ରଛାତ୍ରୀ, ଏନସିସି ଓ ଏନଏସଏସ ସ୍ୱେଚ୍ଛାସେବୀଙ୍କ ସମେତ ଜନସାଧାରଣ ଯୋଗ ଦେଇଥିଲେ। ସେହିପରି ଭାବେ ଜିଲ୍ଲାସ୍ତରରେ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ “ମିଶନ ଶକ୍ତି’ ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାମାନଙ୍କୁ ବଣ୍ଟନ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପତାକା ଓଡ଼ିଶାର ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ସହ ସମସ୍ତ ଜିଲ୍ଲାରେ ମଧ୍ୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ନେଇ ପଦକ୍ଷେପ ନିଆଯାଇଛି। ବିଭାଜନ ସମୟରେ ପ୍ରଭାବିତ ପରିବାରବର୍ଗଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କର ଅନୁଭୂତି ଶୁଣିବା ସହ ସେମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି। ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ ନିଜର ଫଟୋକୁ ହରଘର ତ୍ରିରଙ୍ଗା ଡ଼ଟ କମ୍ ୱେବ୍ସାଇଟରେ ଅପଲୋଡ଼ କରି ନିଜର ଡିଜିଟାଲ ସାର୍ଟିଫିକେଟ ଡ଼ାଉନଲୋଡ଼ କରିପାରିବେ। ଏଥିସହ ଅନଲାଇନ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଘରେ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନଲାଇନ କୁଇଜରେ ଅଂଶଗ୍ରହଣ କରିବେ।

