ଚାଷୀ ଓ ମହିଳାଙ୍କୁ ହତାଶ କରିଛି ଧାନ କିଣା ବିଜ୍ଞପ୍ତି: ବିଜେଡି
-ପଞ୍ଜିକରଣରୁ ବଞ୍ଚିତ ହେବେ ରାଜ୍ୟର ଅର୍ଦ୍ଧାଧିକ ଚାଷୀ
-ମହିଳା ଏସଏଚଜିଙ୍କ ଅନୁମତି ପ୍ରତ୍ୟାହୃତ
ଭୁବନେଶ୍ୱର:୮/୮-ଚଳିତବର୍ଷ ଖରିଫ ଧାନ କିଣା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ। ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭାଗଚାଷୀ, କ୍ଷୁଦ୍ରଚାଷୀମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିବାରୁ ବଞ୍ଚିତ ହେବେ। ଏହାଛଡା ରାଜ୍ୟର ମହିଳା ଏସଏଚଜିମାନଙ୍କୁ ପୂର୍ବ ସରକାରଙ୍କ ଦ୍ୱାରା ଧାନ କ୍ରୟ ଓ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଥଲା, ଯାହାକୁ ରାଜ୍ୟ ବିଜେପି ସରକାର ଉଠାଇ ଦେଇଛନ୍ତି।

ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସହିତ ଏହା ରାଜ୍ୟ ସରକାରଙ୍କର କୃଷକ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି ବୋଲି କହିଛନ୍ତି। ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ରାଜ୍ୟ ସରକାରଙ୍କର ସମବାୟ ଓ ଯୋଗାଣ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ଭାଗଚାଷୀ ତଥା କ୍ଷୁଦ୍ର ଚାଷୀମାନଙ୍କୁ ପଞ୍ଜିକରଣ କରିବା ପାଇଁ ଜମିର ପ୍ରକୃତ ମାଲିକମାନଙ୍କୁ ପଞ୍ଜିକରଣ କେନ୍ଦ୍ରକୁ ଆସିବାକୁ ହେବ। ପୂର୍ବରୁ ସମବାୟ ବା ଯୋଗାଣ ଅଧିକାରୀମାନେ ଭାଗଚାଷୀମାନଙ୍କୁ ଚିହ୍ନଟ କରୁଥିଲେ, ଯାହା ମାଧ୍ୟମରେ ଭାଗଚାଷୀ ମାନେ ପଞ୍ଜିକରଣ କରୁଥିଲେ। ଚଳିତବର୍ଷ ପ୍ରକୃତ ମାଲିକଙ୍କୁ ପଞ୍ଜିକରଣ କେନ୍ଦ୍ରକୁ ଆସିବା ବାଧ୍ୟତାମୂଳକ ହୋଇଥିବାରୁ ଅଧିକାଂଶ ଭାଗଚାଷୀ ପଞ୍ଜିକରଣ କରିବାରୁ ବଞ୍ଚିତ ହେବେ। ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସମୁଦାୟ ଚାଷୀ ସଂଖ୍ୟାର ଅଧାରୁ ଅଧିକ। ତେଣୁ ରାଜ୍ୟର ଅର୍ଦ୍ଧାଧିକ ଚାଷୀ ଚଳିତ ବର୍ଷ ପଞ୍ଜିକରଣ କରିବାକୁ ସକ୍ଷମ ହେବେ ନାହିଁ। ଏହା ରାଜ୍ୟ ସରକାରଙ୍କର କୃଷକ ମାରଣ ନୀତିକୁ ଦର୍ଶାଉଛି। ଡବଲ ଇଞ୍ଜିନ ସରକାର କୃଷକ ମାନଙ୍କୁ ଡବଲ ଧୋକା ଦେଇଛି ବୋଲି ସେ କହିଛନ୍ତି।
ଏହି ବିଜ୍ଞପ୍ତିରେ ମହିଳା ଏସଏଚଜିକୁ ଧାନ କିଣାବିକା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଅନୁମତିକୁ ପ୍ରତ୍ୟାହାର କରି ନିଆଯାଇଛି। ମହିଳାମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ନବୀନ ସରକାରଙ୍କ ଦ୍ୱାରା ଧାନ କିଣା ବିକା ପାଇଁ ଅନୁମତି ପ୍ରଦାନ କରାଯାଇଥଲା। ବିଜେପି ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ତାଙ୍କର ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହି ନିଷ୍ପତ୍ତିକୁ ବିଜୁ ଜନତା ଦଳ ଦୃଢ ବିରୋଧ କରୁଛି ଏବଂ ଆଗାମୀ ଦିନରେ ବିଧାନସଭା ଓ ରାଜରାସ୍ତାରେ ଏହାର ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

