ସିଧାସଳଖ ଡିବିଟି ମାଧ୍ୟମରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ କ୍ଷତିପୂରଣ
ଭୁବନେଶ୍ୱର:୭/୮- ବନ୍ୟା କ୍ଷୟକ୍ଷତି ଆକଳନର ଚୂଡାନ୍ତ ରିପୋର୍ଟ ଦେବା ସହ କ୍ଷତିପୂରଣ ପ୍ରଦାନ ତ୍ୱରାନିତ କରିବାକୁ ରାଜସ୍ୱ ମନ୍ତ୍ରୀ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରି ସେ ଏହା କହିଛନ୍ତି। ସମୀକ୍ଷାରୁ ଜଣାଯାଇଛି, କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର ସେ ସମସ୍ତ ଜିଲ୍ଲାର ରିପୋର୍ଟ ପଠାଇବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ କହିଛନ୍ତି।
ସରକାରୀ ସୂଚନା ଅନୁଯାୟୀ ବନ୍ୟାରେ ପ୍ରାୟ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ସ୍ଥିତି କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଆସୁଛି। ଅଦ୍ୟାବଧି ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ୩୫୬୭ ଘର ଓ ୩୭,୨୯୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତା ଦିନେ ଦୁଇଦିନ ଭିତରେ ସମସ୍ତ ଜିଲ୍ଲାର ଚୂଡ଼ାନ୍ତ ରିପୋର୍ଟ ସହ ସମ୍ପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ସୂଚନା ଦିଆଯାଇଛି। କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ସହ ବନ୍ୟା ମୁକାବିଲା ପାଇଁ ପ୍ରଦତ୍ତ ଆର୍ôଥକ ସହାୟତାରୁ ଜିଲଶପାଳମାନେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରକାଶ ଥାଉ କି, ରାଜ୍ୟସରକାର ସମୁଦାୟ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏହା ସିଧାସଳଖ କ୍ଷତିଗ୍ରସ୍ତ ବ୍ୟକ୍ତିବିଶେଷ ବା ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅଧିକୃତ କରାଯାଇଛି। ସହିପରି କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଡାଟାବେସ ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ଜିଲ୍ଲାପ୍ରଶାସନକୁ କୁହାଯାଇଛି।

ବନ୍ୟା ମୁକାବିଲା ବ୍ୟବସ୍ଥାର ବିସ୍ତୃତ ଆଲୋଚନା କରି ବନ୍ୟାର ପ୍ରଚ୍ଛଦ ପରିସ୍ଥିତି ଓ କାରଣ, ଚଳିତବର୍ଷ ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବା, ଜଳ ନିଷ୍କାସିତ ହେବାରେ ରହିଥିବା ସମସ୍ୟା, ଘେରି ବନ୍ଧର ଆବଶ୍ୟକତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ସେହିପରି ଯେଉଁ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ରାସ୍ତାଗୁଡ଼ିକ ବନ୍ୟା ଜଳ ଆସିଲେ ପ୍ରଭାବିତ ହେଉଛି ସେଇ ସବୁ ରାସ୍ତାର ମରାମତି ତଥା ଅନ୍ୟ ସମାଧାନ ବ୍ୟବସ୍ଥା ନିମନ୍ତେ ପୂର୍ତ୍ତ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରାଯାଇଛି। ସେହିସବୁ ରାସ୍ତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେବା ପରେ ସେଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ପାଣ୍ଠି ପ୍ରଦାନ କରାଯିବ। ଶକ୍ତି, ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ବିଭାଗ ଏବଂ ଅନ୍ୟ ବିଭାଗଗୁଡିକୁ ମଧ୍ୟ ସେମାନଙ୍କର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ପ୍ରସ୍ତୁତ ରିପୋର୍ଟ ମୁତାବକ ଆଗାମୀ ବଜେଟରୁ ଏଥିପାଇଁ ଅର୍ଥ ରାଶି ଭରଣା କରାଯିବ ବୋଲି ସେ କହିଛନ୍ତି।
ବିପର୍ଯ୍ୟୟ ମୁକାବିଲା ସଙ୍ଗେସଙ୍ଗେ ବିପର୍ଯ୍ୟୟ ପ୍ରତିରୋଧକାରୀ ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜଳବାୟୁ ପରିବର୍ତ୍ତନର ସ୍ୱରୂପକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହେଉଛି। ସହରାଞ୍ଚଳ ବନ୍ୟା ତଥା ଜଳବନ୍ଦୀ ଅବସ୍ଥାର ମୁକାବିଲା ପାଇଁ ୧୦ଟି ସହରାଞ୍ଚଳକୁ ମଡେଲ ସହର ଭାବେ ଗ୍ରହଣ କରି ଆବଶ୍ୟକ ଅର୍ଥରାଶି ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି।


