ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାକୁ ନେଇ ସରକାରଙ୍କ ନୂଆ ଯୋଜନାକୁ ବିରୋଧ, ଆନ୍ଦୋଳନ ଧମକ -ସରକାର ଏହାର ତର୍ଜମା କରିବେ-ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର:୭/୮-କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ କରାଯାଇଥିବା ‘ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା’ ଯୋଜନାକୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ସମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହାକୁ ପରିବର୍ତ୍ତନ କରି ଆୟୁଷ୍ମାନ ଯୋଜନା ସହ ମିଶାଇବାକୁ ଯେଉଁ ମସୁଧା କରାଯାଉଛି ତାକୁ ନେଇ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଖବର ପାଇବା ମାତ୍ରେ ଅଲ ଓଡିଶା ମିଡିଆ ଆସୋସିଏସନ ସଭାପତି ସଞ୍ଜୀବ ପଟ୍ଟନାୟକ, ଉପ ସଭାପତି ସରୋଜ ରଞ୍ଜନ ପଟ୍ଟନାୟକ ଓ ଉପଦେଷ୍ଟା ରବିପ୍ରିୟ ଦାଶ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ(ବୈଷୟିକ) ଏବଂ ସ୍ୱାସ୍ଥ୍ୟବୀମା ନବୀକରଣ ପାଇଁ ଅଧିକ ତଥ୍ୟ ମାଗିଥିବା ଜିଲା ସୂଚନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଏହାକୁ ସିଧାସଳଖ ସ୍ୱୀକାର କରିନଥିଲେ ମଧ୍ୟ ସରକାର ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାକୁ ନେଇ କିଛି ନୂଆ ବ୍ୟବସ୍ଥା କରିବାକୁ ଯାଉଥିବା ଜଣାଯାଇଥିଲା। ପରବର୍ତ୍ତୀ ସସମୟରେ ସରକାରୀ ସୂତ୍ରରୁ ଏହା ସ୍ପଷ୍ଟ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳର ଲୋକପ୍ରତିନିଧିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟର ସାମ୍ବାଦିକ ସଂଘ ଗୁଡ଼ିକ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ୨୦୧୮ ମସିହାରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା। ପୂର୍ବ ସରକାର ସ୍ୱାସ୍ଥ୍ୟବୀମା ଅର୍ଥକୁ ୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲେ। ଏବେ ନୂଆ ସରକାର ଏହି ଯୋଜନାର ରୂପରେଖ ବଦଳାଇ ଏହାକୁ ଆୟୁଷ୍ମାନ ଭାରତ ଯୋଜନାରେ ବିଲୟ କରିବାକୁ ମସୁଧା କରିଛନ୍ତି। ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଯେଉଁଥିରେ ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି। ଯଦି ସାମ୍ବାଦିକ ମାନେ ଆୟୁଷ୍ମାନରେ ସାମିଲ ନହେବା ପାଇଁ ମନା କରୁଛନ୍ତି ତେବେ ସରକାର ଏହାର ତର୍ଜମା କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।


