ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
ଭୁବନେଶ୍ୱର:୨୬/୭-ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଶବରୀ’ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ବର୍ଷିୟାନ ସାମ୍ବାଦିକ ଶ୍ରୀ ନନ୍ଦ ଇଂରାଜୀ ଖବରକାଗଜ ‘ଦି ପାୟୋନିଅର’ ଓଡ଼ିଶା ସଂସ୍କରଣର ଆବାସିକ ସମ୍ପାଦକ ଅଛନ୍ତି । ‘ଶବରୀ’ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ନନ୍ଦଙ୍କୁ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରି ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରିଥିଲେ । ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ସଂଘମିତ୍ରା ପରିଡ଼ା, ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ, କର୍ପୋରେଟର ଶିବ ନାରାୟଣ ରାୟ, ସାମ୍ବାଦିକ ବଦ୍ରି ନାରାୟଣ ଦାସ, ସପର୍ଯ୍ୟା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସୂଚନାଯୋଗ୍ୟ ଯେ ଶ୍ରୀ ନନ୍ଦ ଛ’ଦଶନ୍ଧି ଧରି ଗଣମାଧ୍ୟମ ଜଗତରେ ସକ୍ରିୟ ଅଛନ୍ତି । ସମାଜର ସହ ସମ୍ପାଦକ ଭାବେ ସେ କାର୍ଯ୍ୟ ଆରଂଭ କରିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ, ଟେଲିଗ୍ରାଫ୍, ସନଡେ, ସମ୍ବାଦ, ଏସିଆନ ଏଜ୍ ଓ ୨୦୦୫ ମସିହାରୁ ଦି ପାୟୋନିଅରର ଆବାସିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ୧୯୪୨ ମସିହା ମାର୍ଚ୍ଚ ୨୨ ତାରିଖରେ ଜନ୍ମିତ ଶ୍ରୀ ନନ୍ଦ ଉଭୟ ଓଡ଼ିଆ ଓ ଇଂରାଜୀ ସମ୍ବାଦପତ୍ରରେ କର୍ଯ୍ୟ କରି ସାମ୍ବାଦିକତା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି ।

