କଂଗ୍ରେସ ପକ୍ଷାଘାତର ଶିକାର-ପୃଥ୍ୱୀରାଜ
କଂଗ୍ରେସ ଏବେ ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ
ଭୁବନେଶ୍ୱର:.୩୦/୧୧- କଂଗ୍ରେସ ଦଳର ସତ୍ତା ହଜିବାରେ ଲାଗିଛି। ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି। ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି। ତଥାପି ପ୍ରକୃତି ଛାଡୁନାହିଁ। କଥାରେ ଅଛି ମଣିଷ ପକୃତି ମଲେ ତୁଟେ। ସେହିପରି କଂଗ୍ରେସ ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାପରେ ଯାଇ ଏହି ପ୍ରକୃତି ଛାଡ଼ିବ ବୋଲି ଆଶା କରାଯାଉଛି। କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭିଳି ସ୍ଥିତିରେ ଦଳ ତଳକୁ ତଳ ଯିବ ସିନା ଉପରକୁ ଉଠିପାରିବ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ଡିଜି ସମ୍ବିଳନୀ ଅନୁଷ୍ଠିତ ହେଉଛି। ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ଦେଶର ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ପ୍ରଦେଶର ଡିିଜି, ଆଇଜି, ବିଭିନ୍ନ ସୁରକ୍ଷା ବାହିନୀର ମୁଖ୍ୟମାନେ ଯୋଗଦେଇଛନ୍ତି। ବୈଠକରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ଅଧିକ କିପରି ଉନ୍ନତ କରାଯାଇପାରିବ, ଅପରାଧ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ଆଲୋଚନା ଚାଲିଛି। ଏନେଇ ସମଗ୍ର ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି। ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍ରେ ଖରାପ ଗୁଣବତା ପଶିବା ଆରମ୍ଭ କରିଛି। ଜଣେ ଲୋକର ଚରିତ୍ର ପରିବର୍ତ୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି।

କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦେଶ ବିରୋଧି ତତ୍ୱ ହେବାକୁ ଆରମ୍ଭ କରିଛି। ବିଦେଶରେ ଯଦି କେହି ଦେଶ ବିରୋଧି କଥା କହିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଓ ଦେଶର ବିକାଶ ବିରୋଧରେ କହିଲେ ତାହା କଂଗ୍ରେସକୁ ସୁହାଉଛି। ଏଭଳି ଟିପ୍ପଣୀକୁ ନେଇ କଂଗ୍ରେସ ଦେଶରେ ଆନ୍ଦୋଳନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି। ଦେଶର କୌଣସି ବିକାଶର କଥା ଉଠିଲେ ଏହାର ପ୍ରତିଟି ପର୍ଯ୍ୟାୟକୁ ବିରୋଧ କରୁଛି। ବିକାଶ ବିରୋଧରେ ଅନବରତ ୩୬୫ ଦିନ କହିବାରେ ଲାଗିଛି। କଂଗ୍ରେସ ଦଳ ଏବେ ଲୋକ ବିରୋଧୀ ହୋଇଯାଇଛି। ଦେଶ ଏବଂ ଓଡ଼ିଶାର ଲୋକେ କ’ଣ ଚାହୁଁଛନ୍ତି ସେଥିପ୍ରତି କଂଗ୍ରେସ ଦଳର ନଜର ନାହିଁ।
ପ୍ରଧାନମନ୍ତ୍ରୀ ମୋଦି ଆମ ରାଜ୍ୟରେ ୩ ଦିନ ପାଇଁ ରହିବା ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ। ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଏହା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ି ହେବାକୁ ଯାଉଛି। ମାତ୍ର କଂଗ୍ରେସ ଏହା ବିରୋଧରେ ସ୍ୱର ଉତୋଳନ କରିବା ଆରମ୍ଭ କରିଛି। ଏଥିରେ ସ୍ପଷ୍ଟ ହୋଇଛି ଯେ, ୩ଟି ଖରାପ ତତ୍ତ୍ୱ କଂଗ୍ରେସର ଜିନ୍କୁ ଏବେ ପଶି ଆସଛି। ସେଗୁଡ଼ିକ ହେଲା, ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ। ସାରା ଦେଶ ଯେତେବେଳେ ଓଡ଼ିଶା ଉପରେ ଦୃଷ୍ଟି ନିକ୍ଷେପ କରିଛି ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇ ନିଜ ଦଳକୁ ଧ୍ୱଂସ ଅଭିମୁଖେ ଟାଣି ନେଉଛି। ଏଭିଳ ଘଟଣା ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ କେବେ ଦେଖିବାକୁ ମିଳି ନଥିଲା।
ଶ୍ରୀ ହରିଚନ୍ଦନ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ଯେ, ବଳିଦାନକୁ ଆଧାର କରି ଦେଶ ସ୍ୱାଧୀନତା ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ବିକାଶର ପଥରେ ଆଗେଇ ଚାଲିଛି। ୧୯୪୭ରୁ ଏପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା ପରେ ଦେଶ ଆଜି ବିକାଶର ଯାତ୍ରାକୁ ଯିବା ଆରମ୍ଭ କରିଛି। ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ମୋଦିଜୀଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାରେ ମୋହନ ମାଝିଙ୍କ ସରକାର ମଧ୍ୟ ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଅସହିଷ୍ଣୁତା ଦେଖାଇଲେ ଚଳିବ ନାହିଁ। ଏଥିପାଇଁ ଆମେ ସମସ୍ତ ଜନସାଧାରଣଙ୍କ ସହଭାଗିତା ମାଗିଛୁ। ଏଥିପାଇଁ ସୁଧିରିଯିବାର ଆବଶ୍ୟକତା ଅଛି। ବହୁ ଲୋକଙ୍କ ବଳିଦାନରେ ତିଆରି ହୋଇଥିବା ଦେଶକୁ ଅପନିନ୍ଦିତ କରିବାକୁ କାହାରିକୁ ସୁଯୋଗ ଦିଆଯିବନାହିଁ। କଂଗ୍ରେସ ଦଳର ଯେଉଁ ଛାମୁଆ ସଂଗଠନ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଦଳର ଶୀର୍ଷ ନେତୃତ୍ୱ ଏଥିପ୍ରତି ନଜର ଦିଅନ୍ତୁ। କଂଗ୍ରେସ ନିଜକୁ ଆହୁରି ଧ୍ୱଂସ ଆଡ଼କୁ ନନେଇ ଅନ୍ତତଃ ବଂଚିବାର ପ୍ରୟାସ କେମିତି ହେବ ସେ ବାବଦରେ ଚିନ୍ତା କରିବା ଜରୁରୀ। ଏହି ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।


