ସାଇବର ସୁରକ୍ଷା ନେଇ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ
ଭୁବନେଶ୍ୱର:୧୪/୮-ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଅଗଷ୍ଟ ୧୪ ତାରିଖରେ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଓଡ଼ିଶାର ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ସମୟରେ ସାଇବର ଅପରାଧର ବିଭିନ୍ନ ନୂଆ ରୂପ ସାମ୍ନାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅନଲାଇନ ଠକେଇ, ବ୍ଲାକମେଲିଂ ଏବଂ ବିଭିନ୍ନ ପ୍ରକାର ଡିଜିଟାଲ ଶୋଷଣର ଶିକାର ହେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଅଜାଣତରେ ନିଜର ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ରକୁ ସାଇବର ଅପରାଧୀଙ୍କ ଦ୍ୱାରା ଅପବ୍ୟବହାର ପାଇଁ ଉପଲବ୍ଧ କରାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ସାଇବର ବିପଦ ସମ୍ପର୍କରେ ସଚେତନ କରିବା, ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କୁ ନିଜ ପରିବାର ଓ ସମାଜରେ ‘ସାଇବର ସଚେତନତାର ଦୂତ’ ଭାବେ ଗଢ଼ି ତୋଳିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।

ଏହି ଅବସରରେ ରାଜ୍ୟପାଳଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସାଇବର ସଚେତନତାର ଦୂତ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ଆର୍ôଥକ ଠକେଇ ଘଟିଲେ ‘ଗୋଲ୍ଡେନ ଆୱାର’ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ବିଶେଷ ଭାବେ ସଚେତନ କରାଯାଇଥିଲା। କୌଣସି ବ୍ୟକ୍ତି ସାଇବର ଆର୍ôଥକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।
ସଚେତନତା କାର୍ଯ୍ୟକ୍ରମରେ ସ୍ପଷ୍ଟ କରାଯାଇଥିଲା ଯେ କୌଣସି ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ କିମ୍ବା ପୋଲିସ ଅଧିକାରୀ ଓଟିପି, ପିନ୍, ସିଭିଭି କିମ୍ବା ପାସୱାର୍ଡ ମାଗନ୍ତି ନାହିଁ। ତେଣୁ ଏଭଳି ସୂଚନା କେବେବି କାହା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି, ‘ଡିଜିଟାଲ୍ ଆରେଷ୍ଟ’ ନାମରେ କେହି ଟଙ୍କା ଦାବି କଲେ ତାହା ଠକେଇ ବୋଲି ବୁଝି ତୁରନ୍ତ ୧୯୩୦ରେ ଯୋଗାଯୋଗ କରିବାକୁ ସଚେତନ କରାଯାଇଥିଲା। ଟଙ୍କା ପାଇଁ ନିଜ ବ୍ୟାଙ୍କ ଖାତା, ସିମ କାର୍ଡ କିମ୍ବା ପରିଚୟପତ୍ର ଅନ୍ୟ କାହାକୁ ପ୍ରଦାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ବ୍ଲାକମେଲିଂ କିମ୍ବା ଡିଜିଟାଲ୍ ଶୋଷଣର ଶିକାର ହେଲେ ଭୟଭୀତ ନହୋଇ କୌଣସି ପରିସ୍ଥିତିରେ ଟଙ୍କା ନଦେବାକୁ ପରାମର୍ଶ ଦିଆଯାଇଥିଲା। ଏଭଳି ଘଟଣା ଘଟିଲେ ତୁରନ୍ତ ନିଜ ଅଭିଭାବକ, ଶିକ୍ଷକ କିମ୍ବା ପୋଲିସକୁ ଜଣାଇବା ସହ ଆବଶ୍ୟକ ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖିବାକୁ କୁହାଯାଇଥିଲା।

