ମହିଳାଙ୍କୁ ନ୍ୟାୟ ଦାବି, ରାଜ୍ୟପାଳଙ୍କୁ ଭେଟିଲେ ୮ ବିରୋଧୀ ଦଳ ପ୍ରତିନିଧି
ଭୁବନେଶ୍ୱର:24/7- ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ମହିଳାଙ୍କୁ ନ୍ୟାୟ ଦାବି କରି ରାଜ୍ୟର ୮ଟି ବିରୋଧୀ ଦଳ ତରଫରୁ ଆଜି ଅପରାହ୍ନରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଓ ବ୍ୟବସ୍ଥାଗତ ବିଫଳତା ସମ୍ପର୍କରେ ନ୍ୟାୟ ଦାବି କରି ୮ଟି ବିରୋଧୀ ଦଳର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।ମହିଳା ବିଚାରପତିଙ୍କ ନେତୃତ୍ୱରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରି ମହିଳାଙ୍କ ବିରୋଧରେ ଅପରାଧର କାରଣ ଓ ବ୍ୟବସ୍ଥାଗତ ବିଫଳତା ସମ୍ପର୍କରେ ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।
ପୁଲିସ୍ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ସଂସ୍ଥାଗତ ସୁଧାର ଆଣିବା ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗରେ ତୁରନ୍ତ ଅଧ୍ୟକ୍ଷା ନିଯୁକ୍ତି କରିବା ପାଇଁ ଦାବି କରାଯାଇଛି। ଓଡ଼ିଶାରେ ପଡ଼ି ରହିଥିବା ମହିଳା ସଂପର୍କୀୟ ୧୧,୦୦୦ରୁ ଅଧିକ ଅଭିଯୋଗର ତୁରନ୍ତ ସମାଧାନ କରାଯାଉ। ମହିଳା ପୁଲିସ ଷ୍ଟେସନ ଓ ଟୋଲ-ଫ୍ରି ହେଲପ ଲାଇନ ଆରମ୍ଭ କରାଯାଉ ।

ମହିଳାଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲା ୬ ମାସ ସମୟ ସୀମା ମଧ୍ୟରେ ସମାଧାନ କରିବା ପାଇଁ ଦାବି କରାଯାଇଛି । ମାମଲାରେ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮.୩%ରୁ ବଢ଼ାଇ ଜାତୀୟ ହାର ୨୬.୬% ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କୁହା ଯାଇଛି । ମାଦକ ଦ୍ରବ୍ୟ ସେବନ ଜନିତ ଅପରାଧ ରୋକିବା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଓ ସ୍କୁଲ-କଲେଜରେ ଯୌନ ନିର୍ଯାତନା ରୋକିବା ପାଇଁ ନିୟମିତ ସଚେତନ ଏବଂ ତଦାରଖ ବ୍ୟବସ୍ଥା କରାଯାଉ। ସାର୍ବଜନୀନ ସ୍ଥାନରେ ସୁନିଶ୍ଚିତ ବିଦ୍ୟୁତ ବ୍ୟବସ୍ଥା, ସିସିଟିଭି, ପୁଲିସ୍ ପେଟ୍ରୋଲିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଉ। ଜଷ୍ଟିସ ବର୍ମା କମିଟିର ସୁପାରିଶ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡି କରାଯାଉ। ପୁଲିସକୁ ଯୌନ ଅପରାଧ ମାମଲାରେ ସମ୍ବେଦନଶୀଳ ତଦନ୍ତ ପାଇଁ ତାଲିମ ଦିଆଯାଉ। କମ୍ୟୁନିଟି ପୁଲିସ୍ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ମହିଳାଙ୍କ ବିରୋଧରେ ହିଂସା ରୋକିବା ପାଇଁ କଡ଼ା ଆଇନ ପ୍ରଣୟନ କରାଯାଉ। ମହିଳାଙ୍କୁ ଦକ୍ଷତା ବିକାଶ ଓ ରୋଜଗାର ଯୋଗାଇ ଅର୍ଥନୈତିକ ଭାବେ ସଶକ୍ତ ଏବଂ ସ୍ୱାବଲମ୍ବନ କରାଯାଉ।
ପୁଲିସ ଷ୍ଟେସନରେ ଦୁଷ୍କର୍ମ ଏବଂ ଯୌନ ଅପରାଧ ରେକର୍ଡ ପାଇଁ ସ୍ବତନ୍ତ୍ର ସେଲ୍ ଓ ଅନଲାଇନ ଏଫଆଇଆର ବ୍ୟବସ୍ଥା ଆରମ୍ଭ କରାଯାଉ। ମହିଳାଙ୍କ ବିରୋଧରେ ବୃଦ୍ଧି ପାଉଥିବା ସଙ୍ଗୀନ ଅପରାଧ ରୋକିବା ପାଇଁ ସକଳସ୍ତରର ଜନସାଧାରଣ, ମହିଳା ସଂଗଠନ,ମହିଳା ଅଧିକାର କର୍ମୀ, ସାମାଜିକ କର୍ମୀ ଓ ପୀଡ଼ିତା ପରିବାରଙ୍କ ସହ ନିୟମିତ ଆଲୋଚନା କରିବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି।ଟ୍ରାଫିକିଂ ଏବଂ ବିଭିନ୍ନ ଆବାସିକ ବିଦ୍ୟାଳୟ ରେ ନାବଳିକା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ସୁନିଶ୍ଚିତ ବ୍ୟବସ୍ଥା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ କରିବା ପାଇଁ ଦାବି କରାଯାଇଛି ।
ଏହି ପ୍ରତିନିଧି ଦଳରେ କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ,କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା,ପୂର୍ବତନ ପି ସି ସି ରାଜ୍ୟ ସଭାପତି ଜୟଦେବ ଜେନା, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବିଧାୟକ ତାରା ପ୍ରସାଦ ବାହିନୀପତି,ସିପିଆଇ ରାଜ୍ୟ ସହ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପଣିଗ୍ରାହୀ, ସିପିଆଇ(ଏମଏଲ)-ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ଏହି ପ୍ରତିନିଧି ଦଳ ରେ ନେତୃତ୍ଵ ନେଇଥିଲେ।

