LiteratureMore ଯାତ୍ରା ମଂଚରେ ନାଟକ କାନ୍ଦୁଛି By ସଂକ୍ଷିପ୍ତ ଖବର January 12, 2025 2 Min Read Comments Off on ଯାତ୍ରା ମଂଚରେ ନାଟକ କାନ୍ଦୁଛି -ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା -ରାଣୀ ପଣ୍ଡାକୁ ଖଣ୍ଡଗିରି ମନା -ଏକା ଲଢ଼ିବ ରାଣୀ ପଣ୍ଡା ଭୁବନେଶ୍ୱର :12/1-ନାଟକ ହେଉଛି ସମାଜର ଦର୍ପଣ। ସମାଜର ବାସ୍ତବ ଚିତ୍ରକୁ ବହନ କରେ ନାଟକ। ଏଭଳି ନାଟକର କାହାଣୀ ଦର୍ଶକଙ୍କୁ ସଚେତନ କରାଇବା ସହିତ ଦିଗ୍ଦର୍ଶନ ଦିଏ ଏବଂ ଭାବବିହ୍ୱଳ କରାଏ। ଆଗରୁ ଯାତ୍ରା ମଂଚରେ ମଂଚସ୍ଥ ହେଉଥିବା ନାଟକ ବି ଦର୍ଶକଙ୍କୁ ନିକଟତର କରାଇବା ସହିତ ଯଲିଉଡ୍ ପାଇଁ ସଫଳତା ସାଉଂଟୁଥିଲା। ଯେମିତି ସେତେବେଳର ‘କିଏ କାହାର’, ‘ଦୁନିଆ ଟଙ୍କାର ଗୋଲାମ’, ‘ନର୍କରୁ ନିର୍ମାଲ୍ୟ’, ‘ଦେଢ଼ ଦିନର ସ୍ୱାମୀ’, ‘ଆ ଜହ୍ନ ମାମୁ ଶରଦ ଶଶୀ’, ‘ଜେଜେ ତୁମେ ମିଛ କହିଲ’, ‘ଜୀଅନ୍ତା ଶବ’, ‘ଭଲ ମଣିଷ ଖୋଜାଚାଲିଛି’, ‘କଉଡି ଖେଳ’, ‘ମୋ ପେଁକାଳୀ ବଜାଇଦେ’, ‘ଶାଗୁଣା ବସିଛି ଡେଣା ମେଲାଇ’, ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘ଖଜୁରି ଗଛର କି ଗୁଣ ଗାଇବି..’ ଆଦି ବହୁ କାଳଜୟୀ ନାଟକ ଦର୍ଶକମାନଙ୍କୁ ଯାତ୍ରା ପ୍ରେମରେ ବାନ୍ଧି ରଖିବା ସହିତ ଯଲିଉଡକୁ ସମୃଦ୍ଧ କରିପାରିଛି। ଏବେ ଏଭଳି ନାଟକ ଯାତ୍ରା ମଂଚରୁ ହଜିଗଲାଣି। କହିବାକୁ ଗଲେ ଯାତ୍ରା ମଂଚରେ ନାଟକ କାନ୍ଦୁଛି। ଯାତ୍ରାଜଗତ ଦିଗହରା ହୋଇଥିବାରୁ ଭଲ ନାଟ୍ୟକାର ଦୂରେଇଗଲେଣି। କେତେକ ପ୍ରଯୋଜକ, ନାଟ୍ୟକାର, ନିର୍ଦ୍ଦେଶକ ସେମାନଙ୍କ ଶିଷ୍ୟ ତୁଲ୍ୟ କଳାକାରଙ୍କ ପାଖରେ ଏକପ୍ରକାର ବନ୍ଧା ପଡିଛନ୍ତି। ସେମାନଙ୍କ ନାଁରେ ନାଟକ ପ୍ରସ୍ତୁତ କରାଯାଉଥିବାରୁ ସବୁଆଡ଼େ ନିନ୍ଦାର ନାଗରା ବାଜୁଛି। ଜଣେ ଜଣେ ଅଭିନେତା, ଅଭିନେତ୍ରୀ ଯଲିଉଡରେ ପ୍ରଭାବ ବିସ୍ତାର କରି ନିଜ ନିଜ ନାଁରେ ନାଟକ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି। ଏଇ ଯେମିତି ଚର୍ଚିତ ଅଭିନେତ୍ରୀ ରାଣୀ ପଣ୍ଡା ଯେଉଁ ପାର୍ଟିରେ ପ୍ରବେଶ କରୁଛନ୍ତି ସେଠାରେ ନିଜ ନାଁରେ ନାଟକ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି। ତିନି ବର୍ଷ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରେ ନାଟକ ‘ଏକା ଲଢ଼ିବ ରାଣୀ ପଣ୍ଡା’, ଗତ ବର୍ଷ ଗୌରୀ ଗଣନାଟ୍ୟରେ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ଏବଂ ଚଳିତ ଯାତ୍ରା-ବର୍ଷ ନୂତନ ଯାତ୍ରାନୁଷ୍ଠାନ ଅପେରା ପୃଥ୍ୱୀରାଜ’ରେ ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା’ ନାଟକ ମଂଚସ୍ଥ ହେଉଛି। ପାର୍ଟିି ବଦଳାଇବା ପରେ ନାଟକ ବି ବନ୍ଦ୍ ହୋଇଯାଉଛି। ସେହିପରି ଯଲିଉଡର ଚର୍ଚିତ ଅଭିନେତା ଗୌର ଦାସଙ୍କ ନାଁରେ ବି ତିନିଟି ନାଟକ ବିଭିନ୍ନ ପାର୍ଟିରେ ମଂଚସ୍ଥ ହୋଇସାରିଛି। ଆଗରୁ ଧଉଳୀ ଗଣନାଟ୍ୟରେ ନାଟକ ‘କହ ଗୌର ଦାସ କାହାର ଦୋଷ’, ‘ହେ ଗୌରା କାଇଁ କାନ୍ଦୁଛୁ. ଯାତ୍ରା ସ୍ୱପ୍ନମହଲରେ ନାଟକ ‘କେତେ କାନ୍ଦିବୁରେ ଗୌର ଦାସ’ ମଂଚସ୍ଥ ହୋଇସାରିଛି। ଉଲ୍ଲେଖଯୋଗ୍ୟ ଯେ ବହୁ ଆଗରୁ ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କ ନାମରେ କୋଣାର୍କ ଗଣନାଟ୍ୟ ପକ୍ଷରୁ ନାଟକ ‘ଦୈତାରୀ ପଣ୍ଡା ବାହାହଉଛି’ ପ୍ରସ୍ତୁତ ହୋଇ ମଂଚସ୍ଥ ହେବା ପରେ ଏଭଳି ନାମକରଣରେ ନାଟକ ପ୍ରସ୍ତୁତି ଜୋର୍ ଧରିଛି। ଏହା ପରେ ‘ସୁରେଶ ପଣ୍ଡା ବନ୍ଧା ପଡ଼ିଛି’, ‘ସଂଜକୁ ଆସିବ ସଂଜୟ ଭୋଳ’, ‘ବଦମାସ ମୀନକେତନ’, ‘ଉଷସୀ ମିଶ୍ର ଟାର୍ଗେଟରେ ରାଇମୋହନ’ ଆଦି ନାଟକ ଯଲିଉଡ ପାଇଁ ନିନ୍ଦା ଓ ସମାଲୋଚନା ଆଣିଛି। ନାଟକର ସ୍ଥିତି ବେହାଲ ହୋଇପଡ଼ୁଥିବାରୁ ଅଶ୍ଳୀଳ ନୃତ୍ୟକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଯାତ୍ରାକୁ ନେଇ ସବୁଠି ନିନ୍ଦା ଓ ସମାଲୋଚନା ବଢ଼ିବାରେ ଲାଗିଛି। (ଭରତ ଚନ୍ଦ୍ର ବାରିକ)