ଭୁବନେଶ୍ୱର:15/4- ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ଜାଳି ଦେଇଛି। ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସର ଦୁଇ ଦିନ ପୂର୍ବରୁ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେଡି ରାଜ୍ୟବ୍ୟାପୀ ଏହାର ପ୍ରତିବାଦ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
ଘଟଣାଟି ଘଟିଛି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ବ୍ଲକ୍ର ପର୍ଶୁରାମ ଛକ(ବିଜୁ ସ୍କୋୟାର୍)ରେ। ଜାଗା ନାମକରଣକୁ ନେଇ ବିବାଦ କାରଣରୁ ପ୍ରାୟ ଦେଢ଼ବର୍ଷ ହେଲା ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ ପ୍ରତିମୂର୍ତ୍ତିକୁ ପଲିଥିନ ଘୋଡାଇ ରଖାଯାଇଥିଲା । ଆଜି କେହି ସେଥିରେ ନିଆଁ ଲଗାଇ ଦେଇଥିଲେ। ବିଜେଡି ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି କହିଛି ।
ଦଳ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି। ଦଳୀୟ ନେତାମାନେ ଭୁବନେଶ୍ୱର ବିମାନବନ୍ଦର ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ରେ ବସି ପ୍ରତିବାଦ କରିଥିଲେ। ପୁରୀ, କଟକ, ବାଲେଶ୍ୱର, ବ୍ରହ୍ମପୁର, ସୁନ୍ଦରଗଡ଼ ଇତ୍ୟାଦି ସବୁଠି ବିଜେଡି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ତୀବ୍ର ନିନ୍ଦା କରିଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗଣ ମାନସିକତାର ବ୍ୟକ୍ତି ହୋଇଥିବେ। ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁ ବାବୁଙ୍କର ଶ୍ରାଦ୍ଧ ଦିବସ ଏପ୍ରିଲ ୧୭ ତାରିଖରେ ଯଥାରୀତି ପାଳନ କରାଯିବ।