ଭୁବନେଶ୍ୱର :୧୪.୧୨.୨୦୨୪-ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ପଦକ୍ଷେପ ସ୍ୱରୂପ ଶନିବାର କଳିଙ୍ଗ ଷ୍ଟାଡିୟମ ପରିସରରେ ରାଜ୍ୟ ଯୁବ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ବରିଷ୍ଠ ବିଭାଗରେ ୩୯ଟି ଏବଂ ବିଦ୍ୟାଳୟସ୍ତରୀୟ କନିଷ୍ଠ ବିଭାଗରେ ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ରାଜ୍ୟର ୨୦ଟି ଜିଲାର ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ଗବେଷଣାତ୍ମକ ପ୍ରକଳ୍ପ ଉପସ୍ଥାପନ କରିଥିଲେ।
ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ସଠିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଦିକ ଯୁଗରେ ମଧ୍ୟ ଅନେକ ଉନ୍ନତ ମାନର ସାମଗ୍ରୀ ବ୍ୟବହାର କରାଯିବାର ନଜିର ରହିଛି ଏବଂ ତାହା କେବଳ ଜାଣିବାର ଇଛାରୁ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ଆଜିର ଯୁବପିଢ଼ି ନୂତନ ଗବେଷଣା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।
ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ବିଜ୍ଞାନର ଅଭିବୃଦ୍ଧି ସହ ପ୍ରକୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଜ ମନକୁ ନିୟନ୍ତ୍ରଣ କରିପାରିଲେ ସବୁକିଛି ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଉଭୟ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଭାଗରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ଶୁଭାଶିଷ ପୃଷ୍ଟି ପ୍ରଥମ, ଓୟୁଟିଆରର ରକ୍ଷିତ କୁମାର ମହାନ୍ତି ଦିତ୍ୱୀୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସିଦ୍ଧି ମୋହନ ପଟ୍ଟନାୟକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ସେହିଭଳି କନିଷ୍ଠ ବିଭାଗରେ ରାୟଗଡା ରମଣଗୁଡା ଓଡିଶା ଆଦର୍ଶ ବିଦ୍ୟାଳୟର ଆୟୁଷ୍ମାନ ଚୌଧୁରୀ ପ୍ରଥମ, ମୟୁରଭଞ୍ଜ ରାଣୀଭୋଳ ଓଡିଶା ଆଦର୍ଶ ବିଦ୍ୟାଳୟର ଜ୍ୟୋତି ରଞ୍ଜନ ବାରିକ ଦ୍ଵିତୀୟ ଓ ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲର ଶ୍ରେୟାନ ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହି ଅବସରରେ ବିଚାରକ ମଣ୍ଡଳୀରେ ସାମିଲ ହୋଇଥିବା ବିଶିଷ୍ଠ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ବିଭାଗୀୟ ଅଧିକାରୀ, ଓଡିଶା ବିଜ୍ଞାନ ଏକାଡେମୀ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।