ଭୁବନେଶ୍ୱର: ୨୧/୧୨/୨୦୨୪- ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥି ନିମନ୍ତେ ସମସ୍ତ ଜିଲାର ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ସରକାରୀ ଗୋଦାମରୁ ପିଡିଏସ୍ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ଉଠାଣ ଓ ବଣ୍ଟନ ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ଏହି ମର୍ମରେ ଗତ ୬ ତାରିଖରୁ ସରକାରୀ ଗୋଦାମଗୁଡ଼ିକରୁ ଡିଲରମାନେ ଚାଉଳ ଉଠାଣ ଚଳାଇଛନ୍ତି ।
ଗତ ୧୪ ଦିନ ମଧ୍ୟରେ ଉଭୟ ନବରଙ୍ଗପୁର ଏବଂ ଦେବଗଡ଼ ଜିଲାର ଜିଲାପାଳମାନେ ସେମାନଙ୍କ ଜିଲା ପାଇଁ ଧାର୍ଯ୍ୟ ଚାଉଳ ଉଠାଣ ଗତକାଲି ସୁଦ୍ଧା ଶେଷ କରି ସାରିଛନ୍ତି। ଅନ୍ୟ ଜିଲା ଗୁଡ଼ିକ ଆଜି ସୁଦ୍ଧା ହିଁ ସେମାନଙ୍କ ନିମନ୍ତେ ଧାର୍ଯ୍ୟ ପିଡିଏସ୍ ଚାଉଳ ଉଠାଣ ଶେଷ କରିବେ। ଏଥି ସହ ରାଜ୍ୟର ଅନେକ ସ୍ଥାନରେ ଡିଲରମାନେ ସରକାରୀ ସୁଲଭ ମୂଲ୍ୟ ଦୋକାନ ତଥା ଡିଲର ପଏଣ୍ଟଠାରେ ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି। ବାକିଥିବା ଅନ୍ୟ ଡିଲର ପଏଣ୍ଟଠାରେ ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟା ଶେଷ ହେବା ନେଇ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।ଏତଦ୍ବ୍ୟତୀତ ହିତାଧିକାରୀଙ୍କ ଇ-କେୱାସି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆସନ୍ତା ମାସ ସୁଦ୍ଧା ଶେଷ କରିବା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି।