ଗତ ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହାର ତିନିମାସ ଆଗରୁ ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା ।
ବିପୁଳ ଅର୍ଥ ବ୍ୟୟ କରାଯାଇ ସହରର ପାଚେରି ଓ କାନ୍ଥ ବାଡ଼ରେ ବିସ୍ତୃତ ତଥ୍ୟ ଓ ଫଟୋଚିତ୍ର ପେଣ୍ଟିଂ କରାଯାଇଥିଲା । ହୋଡିଂ ମଧ୍ୟ ଲାଗିଥିଲା । ଏହାଥିଲା ଓଡ଼ିଆ ଅସ୍ମିତାର କଥା ।
ସରକାର ବଦଳିଲା, ନୂଆ ସରକାର ଆସିଲା । ଆରମ୍ଭରୁ ଓଡ଼ିଆ ଅସ୍ମିତାର କଥା କହିଲେ ଏବେ ଗୋଟିଏ ବର୍ଷ ହେଇନି ସେସବୁ ଲିଭା ଯାଉଛି । ସେହି ସ୍ଥାନରେ ନୂଆ ଚିତ୍ର କରାଯାଉଛି । ସାହିତ୍ୟର ବିକାଶ ପାଇଁ ପୂର୍ବ ସରକାର କରିଥିବା ଖର୍ଚ୍ଚ ରାଜକୋଷରୁ ବ୍ୟୟ ହୋଇଥିଲା । ବର୍ଷକ ଭିତରେ ତାକୁ ଲିଭାଯାଇ ନୂଆ ନୂଆ ପେଣ୍ଟିଂ କରାଯାଉଛି ।
ଏହି ଅର୍ଥ ବି ରାଜକୋଷରୁ ବ୍ୟୟ ହେଉଛି। ବର୍ଷକ ଭିତରେ ଦୁଇଦୁଇଥର ସହରର କାନ୍ଥ ବାଡ଼ ସଜେଇବା ସରକାରଙ୍କ ମୂଳ କାର୍ଯ୍ୟ ନୁହେଁ ।
କେବଳ ରାଜଧାନୀରେ ନୁହେଁ ରାଜ୍ୟରେ ଅନେକ ସରକାରୀ କୋଠାରେ ବର୍ଷବର୍ଷ ଧରି ଚୂନ ଟିକିଏ ଲାଗିପାରୁନି ।
ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀରେ ଖାଉଟି ଅଦାଲତ, ଦେବୋତ୍ତର କମିସନଙ୍କ କାର୍ଯ୍ୟାଳୟ ପରି ଅନେକ ସରକାରୀ କୋଠା ପରିତ୍ୟକ୍ତ ଅବସ୍ଥାରେ ପହଂଚିଛି । ସେଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରାଯାଉନି ଅଥଚ ଏସବୁ କାହିଁକି ହେଉଛି ତାହା ଲୋକେ ଠିକ ଭାବେ ବୁଝିପାରୁ ନାହାନ୍ତି । କହୁଛନ୍ତି ସରକାର ପାଚେରି ସଜଉଛନ୍ତି।