ଭୁବନେଶ୍ୱର:01/12/2024-କୋଣାର୍କ ଠାରେ ଆରମ୍ଭ ହୋଇଛି ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ତାଙ୍କ ସହିତ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ବିଭାଗ ସଚିବ ବଳୱନ୍ତସିଂହ, ନିର୍ଦେଶକ ସମର୍ଥ ବର୍ମା , ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ l
ବିଗତ 14 ବର୍ଷ ଧରି କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଏ ବର୍ଷ ଭାରତବର୍ଷରୁ ପ୍ରାୟ 121 ଜଣ ଶିଳ୍ପୀ ଯୋଗ ଦେଇଛନ୍ତି।ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମିରେ ।
ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେମାନେ ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବାବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା।