ଭୁବନେଶ୍ୱର:୨୦ ଅକ୍ଟୋବର ୨୦୨୪
ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବାତ୍ୟା ଆଶଙ୍କା ଦୃଢ଼ୀଭୂତ ହୋଇଛି। ସମ୍ଭାବ୍ୟ ବାତ୍ୟାର ନାମ ‘ଦାନା’ ରଖାଯାଇଛି। ଆସନ୍ତା ୨୪ ତାରିଖରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଦାନା ପ୍ରକୋପରେ ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା କୁହାଯାଇଛି।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ। ଘନୀଭୂତ ହୋଇ ଏହା ୨୨ରେ ଅବପାତର ରୂପ ନେବ ଏବଂ ୨୩ ତାରିଖରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ। ୨୪ ତାରିଖ ସକାଳେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ।
୨୩ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା ରହିଛି। ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ। ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ୍ ସମ୍ଭାବନା ନାହିଁ। ଏହାର ପ୍ରକୋପ ଭୀଷଣ ବାତ୍ୟା ପର୍ଯ୍ୟନ୍ତ ରହିପାରେ ବୋଲି ସେ କହିଛନ୍ତି । ୨୪ ଓ ୨୫ ତାରିଖରେ ସାମୁଦ୍ରିକ ଜୁହାର ଆସିପାରେ। ବାତ୍ୟା ସହ ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ୨୩ ତାରିଖରୁ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ରେ ଅଧିକ ବର୍ଷା ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ। ଲଘୁଚାପ ସୃଷ୍ଟି ହେବା ପରେ ୨୩ ରୁ ୨୭ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳ ଜିଲାରେ ପ୍ରବଳ ବର୍ଷା ହେବ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଡକାଯାଇଛି। ଏଥିରେ ବାତ୍ୟା ମୁକାବିଲା ଉପରେ ଆଲୋଚନ ହେବ।