ଭୁବନେଶ୍ୱର-୨୬ ଅକ୍ଟୋବର ୨୦୨୪
ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ନୂଆ ନିୟମ ଲାଗୁ କରି ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କାମ ଆରମ୍ଭ କରିଛି। ଦୁଇ ବର୍ଷର ବିଦ୍ୟୁତ୍ବିଲ୍ ହିସାବକୁ ନେଇ ଅଧିକ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ନୋଟିସ୍ ପଠେଇ ଚାଲିଛି । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଅତିରିକ୍ତ ସିକ୍ୟୁରିଟି ଅର୍ଥ ପଇଠ ନକରିବେ ସେମାନଙ୍କ ବିଦ୍ୟୁତ ଲାଇନ କାଟି ଦିଆଯିବ ବୋଲି ଟାଟା ପାୱାର ଧମକ ଦେଇଛି। ତେବେ ଅନଲାଇନରେ ବିଦ୍ୟୁତ ବିଲ ପରି ଏହି ଦେୟ ପ୍ରଦାନ ହୋଇପାରୁନାହିଁ। ଟାଟା ପାୱାର ପକ୍ଷରୁ ଅତିରିକ୍ତ ସିକ୍ୟୁରିଟି ଅର୍ଥ ପ୍ରଦାନ ପାଇଁ ଯେଉଁ ଲିଙ୍କ ଦିଆଯାଇଛି ତାହା କାର୍ଯ୍ୟ କରୁନାହିଁ। ସଂସ୍ଥାର ଗ୍ରାହକ ସେବା କେନ୍ଦ୍ରକୁ ଅଭିଯୋଗ କଲେ ନିର୍ଦିଷ୍ଟ ସମୟ ଭିତ୍ତିରେ ଏହାର ସମାଧାନ କରାଯିବ ବୋଲି ବାର୍ତ୍ତା ଆସୁଛି। ଗ୍ରାହକଙ୍କ ଉପରେ ଏଭଳି ଜିଜିଆ କରକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
କର୍ତ୍ତୃପକ୍ଷ ଗ୍ରାହକମାନଙ୍କର ଗତ ଦୁଇବର୍ଷର ବିଜୁଳି ଖର୍ଚ୍ଚକୁ ହାରାହାରି ହିସାବକୁ ନେଇ କେତେ କିଲୋୱାଟ୍ ସଂଯୋଗ ନେବା ଆବଶ୍ୟକ ତାହା ଦେଖାଉଛନ୍ତି। ଏହି ହିସାବରେ ଅଧିକ ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ବିଲ୍ ପଠାଉଛନ୍ତି। ଗ୍ରାହକମାନେ ପୂର୍ବରୁ କେତେ ପରିମାଣରେ ସିକ୍ୟୁରିଟ୍ ଡିପୋଜିଟ୍ ଦେଇଛନ୍ତି ତାହା ହିସାବକୁ ନେଇ ବର୍ଦ୍ଧିତ ସିକ୍ୟୁରିଟି ଡିପୋଜିଟ୍ ଦେବାପାଇଁ ନୋଟିସ୍ ଜାରି କରିଛନ୍ତି। ଟାଟା ପାୱାର ଦପ୍ତରର ଗ୍ରାହକସେବା ଅଧିକାରୀମାନେ ଏସମ୍ପର୍କରେ କେଣସି ତଥ୍ୟ ଦେଇପାରୁ ନାହାନ୍ତି।
ଅତିରିକ୍ତ ସିକ୍ୟୁରିଟ୍ ଜମା କରିବା ଓଇଆରସିର ନିୟମ ମୁତାବକ ହେଉଥିବା ଟାଟା ପାୱାର ତାହାର ନୋଟିସ୍ରେ ଦର୍ଶାଇଥିବାବେଳେ ଓଇଆରସି ଏ ସଂକ୍ରାନ୍ତରେ ଗ୍ରାହକମାନଙ୍କୁ କୌଣସି ସୂଚନା ଦେଇନାହିଁ। ଶକ୍ତି ବିଭାଗ ଅଧିକାରୀମାନେ ଏ ନେଇ ଅଜ୍ଞ ଥିବା ଜଣାଯାଇଛି।