ଭୁବନେଶ୍ୱର:୧୯/୧୨/୨୦୨୪-ଦୁର୍ଗାପୂଜା ପୂର୍ବରୁ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଥିବା ରାସ୍ତା କାମ ସମେତ ରକ୍ଷଣାବେକ୍ଷଣ ନ ହେବା ଯୋଗୁଁ ପିଚୁ ଛାଡ଼ି ଖାଲ ଖମା ସୃଷ୍ଟି ହୋଇଥିବା ରାସ୍ତାର ମରାମତି କାମ ସାରିବାକୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିଲେ। ବିଶେଷ କରି ଡିଭିଜନ ଦାୟିତ୍ୱରେ ଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାମ ସାରିବାକୁ ତାଗିଦ କରିଥିଲେ। ଏହାସତ୍ତ୍ୱେ କେତେକ ଡିଭିଜନରେ କାମ ଅଧାପନ୍ତରିଆ ରହିଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ପୂର୍ତ୍ତ ଡିଭିଜନ-୩ ଅଧୀନରେ ବିସ୍ତୃତ ଅଞ୍ଚଳ ଥିଲେ ମଧ୍ୟ କୌଣସି ଜାଗାରେ କାମ ଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ କାମ ଯଥା ସମୟରେ ନସାରିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା କାମ ବର୍ଷାଧିକ କାଳ ଧରି ପକେଇ ରଖିବା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଲାଗି ରହିଛି। ଦାୟିତ୍ୱରେ ଥିବା ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ବିରୋଧରେ ଠିକାଦାର ସଂଘ ପକ୍ଷରୁ ମୁଖ୍ୟଯନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜାଭିୟର ଛକରୁ ଉତ୍କଳ ହସ୍ପିଟାଲ ଦେଇ ଓଇଆରସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ନିର୍ମିତ ହୋଇଥିଲା। ଓଇଆରସି କାର୍ଯ୍ୟାଳୟ ପାଖରେ କାମ ଅଟକିଛି। ରାସ୍ତା କାମ ଆଉ ବଢୁନାହିଁ। ଏହି ରାସ୍ତାର ଗୋଟିଏ ପାର୍ଶ୍ୱରେ ଗ୍ରିଲ ଲଗାଇବା କାମ ମଧ୍ୟ କରାଯାଉନାହିଁ। ଅର୍ଥ ଅନୁମୋଦନ ସତ୍ତ୍ୱେ କେଉଁ କାରଣରୁ ଏହା ଅଟକିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାମ ପାର୍ଶ୍ୱରେ ଏହି ରାସ୍ତାକୁ ଏକାମ୍ର କାନନ ନିକଟରେ ସଂଯୋଗ କରିବା କାମ ଇଞ୍ଚେ ବି ଆଗେଇ ପାରୁନଥିବା ବିଭାଗର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।
ସେହିପରି ପଥରଗାଡ଼ିଆ ରାସ୍ତା କାମ ମଧ୍ୟ ଅଟକି ରହିଛି। ଓଇଆରସି ଛକରୁ ସାଇମନ୍ଦିର ଛକ ପର୍ଯ୍ୟନ୍ତ ନୂଆ ରାସ୍ତା କାମ ଦୀର୍ଘ ଏକବର୍ଷ ପରେ ୯୫ ପ୍ରତିଶତ ଶେଷ ହୋଇଥିବା ବେଳେ ୨୭ଡିସିମିଲି ଜାଗା ଅକ୍ତିଆର କରାଯାଇ ନ ଥିବାରୁ ୩୦ ଫୁଟରେ ୪୦୦ ଫୁଟ ରାସ୍ତା ସମେତ ଡ୍ରେନ କାମ ହେଇପାରୁନି। ଏଥିପାଇଁ ରାଜସ୍ୱ ବିଭାଗ ମାପଚୁପ କରି ସଂପୃକ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦେଇଥିଲା। ଅର୍ଥ ଅନୁମୋଦନ ସତ୍ତ୍ୱେ ସାଇମନ୍ଦିର ଛକରୁ ୪୦୦ଫୁଟ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଏହାବ୍ୟତୀତ ଷ୍ଟାଡିୟମ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଏହାର ଯାଞ୍ଚ କରିବାକୁ ପୂର୍ତ୍ତମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଦୁଇଦିନ ତଳେ ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏହି ଡିଭିଜନରୁ ପ୍ରତ୍ୟାହାର କରି ନିଆଯାଇଛି। ଏବେ ଭୁବନେଶ୍ୱର ଡିଭିଜନ-୩ରେ ହୋଇଥିବା ବ୍ୟାପକ ଅନିୟମିତତାର ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।