ଭୁବନେଶ୍ୱର:୨୨ ଅକ୍ଟୋବର ୨୦୨୪
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଠାରେ ସର୍ବ ଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସଂଗମକାରୀ ଜୀବ ଗବେଷଣା ପ୍ରକଳ୍ପ ଗତ ୩ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନୀକରଣ ତଥା ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟ, ସୋଲାନର ପୂର୍ବତନ କୁଳପତି ହରିଶ ଚନ୍ଦ୍ର ଶର୍ମା ଅଧ୍ୟକ୍ଷତା କରିଥିଲେ। ସମୀକ୍ଷାରେ ପ୍ରଫେସର ଆର୍ କେ ଠାକୁର, ପ୍ରଫେସର ଡି ପି ଆବ୍ରୋଲ, ପ୍ରଫେସର ଏମ୍ ଆର୍ ଶ୍ରୀନିବାସନ, ପ୍ରଫେସର ସଚିନ ଏସ ମୋରସେ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷଣା ଅଧ୍ୟକ୍ଷ ସୁସେନ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟବକ୍ତା ଭାବେ କୃଷି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହୃଷୀକେଶ ପାତ୍ର ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ବିଷୟରେ ବିବୃତି ପ୍ରଦାନ କରିଥିଲେ।
ପୂର୍ବ ଭାରତର ତିନିଟି ଶାଖା ଯଥା ଆରପିସିଏୟୁ ସମସ୍ତିପୁର (ବିହାର), ଆରଏକେଭିକେ ନିମପୀଠ (ପଶ୍ଚିମବଙ୍ଗ) ଏବଂ ଓୟୁଏଟି ଭୁବନେଶ୍ୱର ( ଓଡ଼ିଶା) ଏଆଇସିଆରପିର ମୁଖ୍ୟ ଗବେଷକ ଓ ଗବେଶିକା ପ୍ରଭାସିନୀ ବେହେରା, ନଗେନ୍ଦ୍ର କୁମାର, ଊକ୍ସ ପ୍ରବୀର ଗରାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଗତ ୫ ବର୍ଷ (୨୦୧୮-୨୦୨୩) ପର୍ଯ୍ୟନ୍ତ ଗବେଷଣାର ସମସ୍ତ ବିବରଣୀ ଉପସ୍ଥାପନ କରିଥଲେ।
ବର୍ତ୍ତମାନ ପରିସ୍ଥିତି ଓ ମହୁମାଛିଙ୍କ ଗତିବିଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କାର୍ଯ୍ୟରତ ଓଡ଼ିଶାର ଅଭିଜ୍ଞ ତଥା ବରିଷ୍ଠ ମାହୁମଛି ଚାଷୀ ଅଶୋକ କୁମାର ଷଡ଼ଙ୍ଗୀ, ଘନଶ୍ୟାମ ପରିଡ଼ା, ଦିଲୀପ ସାହୁ, ଶଶିକାନ୍ତ ରଥ ଓ ହରିହର ଗୋଚ୍ଛାୟତଙ୍କ ସହିତ ମାହୁମାଛି ଚାଷୀଙ୍କ ଠାରୁ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷୟକ୍ଷତି,ପରିଚାଳନାରେ ଅସୁବିଧା, ରୋଗପୋକ ନିୟନ୍ତ୍ରଣ ଓ ପାଳନ ବିଷୟରେ ଅବଗତ କରାଇଥିଲେ। ପରିସ୍ଥିତି କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ସେମାନେ ପରାମର୍ଶ ଦେଇଥିଲେ। ଯାହା କାର୍ଯ୍ୟରତ ମହୁମାଛି ଚାଷଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ମନେହୁଏ।
କ୍ୟୁଆରଟି ସଦସ୍ୟମାନେ ଓୟୁଏଟି ସ୍ଥିତ ମହୁମାଛି ବାଟିକା ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଜାତିର ମହୁମାଛି ଯଥା ବାଘୁଆ ମାଛି, ସପ୍ତଫେଣି ମହୁମାଛି, ନିକୁଟି ମହୁମାଛି ଓ ବିଦେଶୀ ମହୁମାଛି ପାଳନ, ସଂରକ୍ଷଣ ଓ ପରିଚାଳନା ବିଷୟରେ କହିଥିଲେ। ପରିଶେଷରେ ସମସ୍ତ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ।