ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ବଡ଼ଧରଣର ବାତ୍ୟା ଭାବରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଉପକୂଳ ଛୁଇଁପାରେ । ଏହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଇଏମଡି ଡି.ଜି ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୨୧ତାରିଖ ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୨ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖରେ ଏହାର ବାତ୍ୟାର ରୂପ ନେବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ଭାବରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ । ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ଓ ୨୫ ତାରିଖ ଯାଏଁ ବର୍ଷିବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପାଗ କେନ୍ଦ୍ର ପକ୍ଷରୁ ବର୍ଷା ପାଇଁ ରେଡଆଲର୍ଟ ଜାରି କରାଯାଇଛି । ୨୪ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକକୁ ରେଡ ଆଲର୍ଟ ଜାରି ହୋଇଛି । ୨୫ ତାରିଖରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଯାକ ଜିଲାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ହେଉଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ୨୧ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ସ୍କୁଲ ଛୁଟି ହୋଇପାରେ । ସରକାର ସମସ୍ତ ଜିଲାପାଳଙ୍କୁ ସ୍କୁଲ ଛୁଟି କ୍ଷମତା ଦେଇଛନ୍ତି ।
ବର୍ଷା ପବନର ସ୍ଥିତିକୁ ଦେଖି ଜିଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିବେ ।
ସେହିପରି ବାତ୍ୟା ‘ଦାନା’ ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି । ଏହି ଅଞ୍ଚଳ ଭିତରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଇପାରେ । ପାଣିପାଗ ବିଜ୍ଞାନୀଙ୍କ କହିବା ମୁତାବକ, ଭିତରକନିକାର ହେନ୍ତାଳ ବନ୍ତରେ ବାତ୍ୟାର ପ୍ରକୋପ କମିଯିବ । ୨୦୨୧ରେ ହେଇଥିବା ବାତ୍ୟା ୟସ୍ ଭଳି, ଦାନାର ପ୍ରଭାବ ଅନୁଭୂତ ହେବ । ଉପକୂଳରେ ବାତ୍ୟା ଦୁର୍ବଳ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।